ବିଜୟର ଧାରା
ସେଦିନ ବିଜୟାଦଶମୀର ତିଥି ଥିଲା
ଝିଅଟି ପ୍ରଥମ କରି ସେହି ସହରକୁ ଆସିଥିଲା,
ବୁଲୁବୁଲୁ ସେ କେତେବେଳେ ଏକ ନିର୍ଜନ ଗଳିରେ ପ୍ରବେଶ କରିଥିଲା
ସେକଥା ତା ନିଜକୁ ମଧ୍ଯ ଜଣା ନ ଥିଲା।
ସେତେବେଳକୁ ରାତ୍ରିର ଅନ୍ଧକାର ପୃଥିବୀକୁ ଗ୍ରାସ କରି ସାରିଥାଏ
ଅଦିନିଆ ବର୍ଷା ଠୋପା ପଡ଼ି ଦେହ ଶୀତେଇ ଉଠୁଥାଏ,
ଏକ ନୂଆ ସହରର ନିର୍ଜନ ଗଳିଟା ତାକୁ ଭୟଙ୍କର ଲାଗୁଥାଏ
ଆଉ ମନରେ ଅଜଣା ଭୟର ସଞ୍ଚାରଣ କରୁଥାଏ।
ସେ ନିଜର ରାସ୍ତା ଭୁଲି ସାରିଥିଲା
ଦୂରରେ ଦଳେ ପୁଅଙ୍କୁ ଦେଖି ତା ମନରେ ନୂତନ ଆଶା ସୃଷ୍ଟି ହେଲା,
ସୁଅ ମୁହଁରେ ପଡ଼ିଥିବା ଲୋକ କୁଟା ଖଣ୍ଡକୁ ଆଶ୍ରା କରିଲା ଭଳି
ଝିଅଟି ସାହାଯ୍ୟ ଆଶାରେ ସେମାନଙ୍କ ନିକଟକୁ ଦୌଡ଼ି ଗଲା।
ହେଲେ କାହାକୁ ଅବା ଜଣା ଥିଲା
ସେହି ପୁଅମାନେ ଥିଲେ ରାମରୂପୀ ରାବଣ,
ଶରଣ ଦେବା ତାଙ୍କ ଜାତକେ ନ ଥିଲା
ତାଙ୍କୁ ଜଣାଥିଲା ଖାଲି ହରଣ।
ସେ ସାହାଯ୍ୟ ଆଶାରେ ସେମାନଙ୍କ ନିକଟରେ ପହଞ୍ଚିଲା
ତାକୁ ଲାଗିଲା ଯେପରି ତାକୁ ଦେବଦୂତ ମିଳିଗଲା,
ଆଉ ସେ ପୁଅମାନଙ୍କୁ ଲାଗିଲା
ଏଭଳି ଥଣ୍ଡା ପାଗରେ ତାଙ୍କୁ ଶିକାର ମିଳିଗଲା।
ଝିଅଟି ସାଙ୍ଗରେ ଦୁର୍ବ୍ୟବହାର କରିବା ଆଗରୁ
ସେ କୌଶଳ କ୍ରମେ ଦୌଡ଼ି କିଛି ଦୂରକୁ ଚାଲିଗଲା,
ସେ ଆଜି ଏପରି ଦୌଡ଼ୁ ଥିଲା
ଯେପରି ଏହା ତା ଜୀବନର ଶେଷ ଦୌଡ଼ ଥିଲା।
ସେ ନର ରାକ୍ଷସମାନେ ବି କମ୍ ନ ଥିଲେ
ସେମାନେ ମଧ୍ୟ ତା ପଛରେ ଦୌଡ଼ୁ ଥିଲେ,
ତାଙ୍କର କାମନାର ଭୋକକୁ
ମେଣ୍ଟାଇବାକୁ ଚାହୁଁ ଥିଲେ।
ଝିଅଟି କିଛି ବାଟ ଦୌଡ଼ିବା ପରେ
ହଠାତ୍ ଅଟକି ଗଲା,
ସମ୍ମୁଖରେ ସେ ଏପରି ଜଣକୁ ପାଇଥିଲା
ଯାହାଙ୍କୁ ଦେଖି ତାକୁ ଅଭୟ ମିଳିଯାଇଥିଲା।
ସମ୍ମୁଖରେ ଥିଲେ ଜଣେ ମହିଳା ପୋଲିସ ଅଧିକାରୀ
ମା ଦୁର୍ଗାଙ୍କର ଚଳନ୍ତି ପ୍ରତିମା ଭଳି ସେ ପ୍ରତୀୟମାନ ହେଉଥିଲେ,
ଆଉ ଡେରି ନ କରି
ସେ ବନ୍ଧୁକକୁ ସେହି ନର ରାକ୍ଷସମାନଙ୍କ ଉଦ୍ଦେଶ୍ୟରେ ଚଲାଇଦେଲେ
ଆଉ ନିମିଷକେ ସେମାନଙ୍କୁ ଧରାଶାୟୀ କରି ଦେଲେ।
ଦୂର ମଣ୍ଡପରୁ
ଶଙ୍ଖ, ଘଣ୍ଟ, ବାଜାର ଶବ୍ଦ ଭାସି ଆସୁଥିଲା,
ଆଉ ଏଠି ବିଜୟର ପ୍ରତୀକ ସ୍ଵରୂପ
ନର ରାକ୍ଷସମାନଙ୍କର ରକ୍ତର ସୁଅ ଛୁଟୁଥିଲା।
(ବି.ଦ୍ର : ମୁଁ ଚାହିଁଥିଲେ ଏହି କବିତା ମାଧ୍ୟମରେ ଝିଅଟିର ହତ୍ୟା କରାଇ "ବଳାତ୍କାର ବିରୋଧୀ" ସ୍ଲୋଗାନ ଦେଇଥାନ୍ତି। ହେଲେ, ସର୍ବଦା ଅନ୍ତରେ ଗୋଟିଏ ନୀରିହ ନାରୀର ହିଁ ମୃତ୍ୟୁ କାହିଁ ହେବ?? ପାପୀର ମୃତ୍ୟୁ କାହିଁକି ନୁହେଁ?)
Comments
Post a Comment